ଆଗ୍ରିଆ ସମାଜ
 

ଆଗ୍ରିଆ ସମାଜ

By: Manoj Patil

ଆଗ୍ରିଆ ସମାଜ

ଆଗ୍ରିଆ ବଂଶ ବିବରଣ

ଚନ୍ଦ୍ର ବଂଶୀୟ ମହାରାଜ ବିଚିତ୍ରବୀର୍ଯ୍ୟ ନିଃସନ୍ତାନ ହୋଇ ପଞ୍ଚତ୍ୱ ଲାଭ କରିବାରେ ସୋମବଂଶ ବିଲୁପ୍ତ ହେବା ଦେଖି ରାଜମାତା ସତ୍ୟବତୀ ଦେବୀ ଦୃଢ଼ପ୍ରତିଜ୍ଞ ସଦାଶୟ ଭୀଷ୍ମଦେବଙ୍କର ପରାମର୍ଶ ଗ୍ରହଣ ପୂର୍ବକ ତ୍ରିକାଳଦର୍ଶୀ ମହାତ୍ମା ବ୍ୟାସଦେବଙ୍କୁ ପୁତ୍ରୋତ୍ପାଦନାର୍ଥ ଅନୁରୋଧ କଲେ। ମହର୍ଷି ବେଦବ୍ୟାସ ମାତ୍ରାଜ୍ଞା ଅଲଂଘ୍ୟ ମନେ କରି ସ୍ତ୍ରୀୟ ଔରସରେ ବିଚ଼ିତ୍ର ବୀର୍ଯ୍ୟଙ୍କ କ୍ଷେତ୍ରରୁ ଧୃତରାଷ୍ଟ୍ର ଓ ପାଣ୍ଡୁ, ବୈଷ୍ଣବୀଦାସୀ ଗର୍ଭରୁ ସଞ୍ଜୟ ଏବଂ ଶୁଦ୍ରାଦାସୀ ଗର୍ଭରୁ ବିଦୁରଙ୍କୁ ଜାତ କରାଇଲେ।

ବିଦୁର ଆବାଲ୍ୟରୁ ସଚ୍ଚରିତ୍ର ଓ ଇଶ୍ୱରପରାୟଣ ଥିଲେ। ସେ ନ୍ୟାୟୀ ଓ ବିଚ଼ାରବାନ୍‍ ଥିବାରୁ ମହାରାଜ ଧୃତରାଷ୍ଟ୍ର ତାଙ୍କର ପରାମର୍ଶ ଗ୍ରହଣ କରୁଥିଲେ। ବିଦୁର କାଶୀ ନିକଟବର୍ତ୍ତୀ ହଟକେଶ୍ୱରର ଶୁଦ୍ରରାଜା କେଶବ ଦାସଙ୍କ ଦୁହିତାଙ୍କର ପାଣି ଗ୍ରହଣ କରିଥିଲେ।

ବିଦୁରଙ୍କର ମାତାର ନାମ ଶୁଦ୍ରାବୋଲି ଲେଖା ହୋଇଅଛି କିନ୍ତୁ ତାହାନୁହେଁ। ସେ ସୂର୍ଯ୍ୟବଂଶୀୟ ହରିକେଶର ରାଜାଙ୍କର ଦୁହିତା ଅମ୍ୱୁବତୀ। ଅମ୍ୱୁବତୀ ବିଚ଼ିତ୍ର ବୀର୍ଯ୍ୟଙ୍କର ଦ୍ୱିତୀୟ ରାଣୀ ଅଟନ୍ତି। ତାଙ୍କର ଗର୍ଭର ବିଦୁରଙ୍କର ଜନ୍ମ ହୋଇଥିବା ଶୂଦ୍ରମୁନୀ ସାରଲାଦାସଙ୍କ କୃତ ସର୍ବୋପେକ୍ଷା ପ୍ରାଚ଼ୀନ ମହାଭାରତରେ ଚିତ୍ରିତ ହୋଇଅଛି।

ଦେବରାଜଙ୍କର ଦୁହିତା ପରାଶରୀ ସହିତ ବିଦୁରଙ୍କର ବିବାହ ହୋଇଥିବା ବିଷୟ ସବଳସିହ ହିନ୍ଦୀ ମହାଭାରତରେ ଅଙ୍କିତ ହୋଇଅଛି। ଅଳ୍ପ କାଳରେ ଭଗବାନ ଶ୍ରୀକୃଷଙ୍କ ବର ପ୍ରସାଦରେ ବିଦୁର ଏବଂ ତାଙ୍କର ପତ୍ନୀ ପରାଶରୀ ଦୁଇଟି ପୁତ୍ର ଲାଭ କଲେ ତାଙ୍କର ନାମ ହେଲା ବୈଭାନୁ ଓ ପୂରମନୁ ତାଙ୍କର ବଂଶଧରଗଣ 'ବିଦୁରକ୍ଷନ୍ତ୍ରୀ' ନାମରେ ଅଭିହିତ। ବିଦୁରକ୍ଷନ୍ତ୍ରୀ ମାନେ ରାଜପୁତାନା, ଆଗ୍ରା, ଓ ତଦ୍‍ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ବାସ କରିଥିଲେ।

ଖ୍ରୀଷ୍ଟାବ୍ଦ ୧୫୫୦ ସାଲରେ ମୁସଲମାନ ସମ୍ରାଟ ଆଦିଲଶାହ ଦିଲ୍ଲୀ ସିଂହାସନାରୂଢ଼ ହେଲେ। ତାହାଙ୍କ ରାଜତ୍ୱରେ ହିନ୍ଦୁ ପ୍ରଜାବୃନ୍ଦ ନାନା ଯନ୍ତ୍ରଣା ଉପୀଡ଼ନ ଭୋଗ କରିଥିଲେ। ବିଦୁର ବଂଶୀୟ କ୍ଷନ୍ତ୍ରିୟମାନେ ମୁଣ୍ଡ-ଲୁଆଁଇ ସମ୍ରାଟଙ୍କୁ ସୁଦ୍ଧା ସଲାମ କରୁ ନ ଥିଲେ। ସମ୍ରାଟ ଏହାଜାଣି ପାରି ସଲାମ ନେବାର ଗୋଟିଏ ଅଭିନବ ବ୍ୟବସ୍ଥା କରିଦେଲେ। ଘରତଲରେ ଅଙ୍କିତ ରେଖା ଉପରେ ଛିଡ଼ାହୋଇ ମୁଣ୍ଡ ନ ଲୁଆଇଁ ସଲାମ କଲେ ଉପରିସ୍ଥ ସୁତୀକ୍ଷ୍ଣ ଲୌହ କରତ କଣ୍ଠ ଦେଶରେ ବିଦ୍ଧ ହେବା ସୁନିଶ୍ଚିତ କିନ୍ତୁ ବିଦୁର ବଂଶୀ କ୍ଷତ୍ରିୟ ମାନେ ସଲାମ କରିବା ବେଳେ କରତରେ ଆଘାତ ପ୍ରାପ୍ତ ହୋଇ ରୁଧିରାର୍ଦ୍ଦ ହେଲେ, ତଥାପି ମୁଣ୍ଡ ଲୁଆଇଲେ ନାହିଁ। ବାଦସାହ ସେମାନଙ୍କର ଦୃଢ଼ପଣ ଓ ସତ୍‍ସାହସ ଦେଖି ସେମାନଙ୍କୁ କାନ୍ଦାହାର ଯୁଦ୍ଧକୁ ପଠାଇବାକୁ ପ୍ରସ୍ତାବ କରି ଆଦେଶ ପ୍ରଚ଼ାର କଲେ, ଯେଉଁମାନେ ଯୁଦ୍ଧକୁ ଯିବାକୁ ଅସମର୍ଥ ହେବେ, ସେମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ହେବ, ନତୁବା ପ୍ରାଣଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ। ଉକ୍ତ କଠୋର ଆଦେଶ ପ୍ରଚ଼ାରିତ ହେବା ଜାଣି ବିଦୁର ବଂଶୀ କ୍ଷତ୍ରିୟମାନଙ୍କ ଚଉରାଶୀବର୍ଗ ମଧ୍ୟରୁ ୪୪ ଘର ସପରିବାରରେ ଉତ୍କଳ ଦେଶକୁ ପଳାଇ ଆସିଲେ। ସେମାନେ ଖ୍ରୀଷ୍ଟାବ୍ଦ ୧୫୫୬ ସାଲରେ ଉତ୍କଳର ତତ୍କାଳୀନ ଗଜପତି ମହାରାଜ ମୁକୁନ୍ଦଦେବଙ୍କର ଶରଣାପନ୍ନ ହେଲେ।

ଉତ୍କଳାଧିପତି ସେହି ଆଗନ୍ତୁକ ୪୪ ଘରକୁ ପ୍ରତିପୋଷଣ ନିମନ୍ତେ ବୃତ୍ତ ବ୍ୟବସ୍ଥାର ପରୀକ୍ଷା ଗ୍ରହଣ କରନ୍ତି। ସ୍ୱର୍ଣ୍ଣ ଓ ରୌପ୍ୟ ନିର୍ମିତ ମୁଷ୍ଟି (ବେଣ୍ଟ) ଦ୍ୱୟର ଗୋଟିକରେ ପାଚ଼ନବାଡ଼ୀ ଓ ଅପରଟିରେ ଲୌହତାରା ସଂଯୁକ୍ତ କରି ଯଷ୍ଟି ଓ ତାଗା ପଟ୍ଟ ବସ୍ତ୍ରରେ ଘୋଡ଼ାଇ ଶ୍ରୀ ଶ୍ରୀ ଜଗନ୍ନାଥ ଦେବଙ୍କର ସିଂହାସନ ପୀଠରେ ରଖା ହେଲା। ମହାରାଜ ଉକ୍ତ ୪୪ ଘରଙ୍କୁ ଡକାଇ କହିଲେ, ତୁମ୍ଭମାନଙ୍କ ମଧ୍ୟରୁ ସର୍ବାପେକ୍ଷା ବୟୋବୃଦ୍ଧ ବ୍ୟକ୍ତି ସିଂହାସନ ତଲରେ ରକ୍ଷିତ ଅସ୍ତ୍ର ଦ୍ୱୟ ମଧ୍ୟରୁ କୌଣସି ଗୋଟିକର ମୁଷ୍ଟିଧରି ଉଠାଇ ଆଣନ୍ତୁ। ଉପସ୍ଥିତ ୪୪ ଘର ମଧ୍ୟରେ ବର୍ଷୀୟାନ୍‍ ଭରୋଷ ରାଉତ ଉକ୍ତ କାର୍ଯ୍ୟ ସାଧନା ପାଇଁ ନିର୍ବାଚ଼ିତ ହୋଇ ଲୋଭବଶତଃ ସ୍ୱର୍ଣ୍ଣମୁଷ୍ଟି ଯୁକ୍ତ ଅସ୍ତ୍ରଟି ଉଠାଇ ଆଣିଲେ। ମହାରାଜ ତଦ୍ଦର୍ଶନରେ ସେମାନଙ୍କର କୃଷକ ବୃତ୍ତ ନିର୍ଦ୍ଦିଷ୍ଟ କରି ଦେଲେ। ସେ ଦିନରୁ ଭରେଷ ରାଉତ ଓ ଅପର ସମସ୍ତେ ଯଜ୍ଞୋପବୀତ ପରିତ୍ୟାଗ କରି ସ୍ୱହସ୍ତରେ କୃଷି କାର୍ଯ୍ୟକଲେ। କେବଳ ଭରୋଷଙ୍କ କନିଷ୍ଠଭାଇ କ୍ଷତ୍ରିୟ ଚିହ୍ନ ଯଜ୍ଞୋପବୀତ ଓ କଟାର ଧାରଣ କରି ଦିସୋନ୍ଧୀ ଉପାଧିରେ ଅଖ୍ୟାତହେଲେ। ଦିସୋନ୍ଧୀମାନେ ବଂଶ ପରମ୍ପରା କ୍ରମେ ସଙ୍କେତ ରଖି ଆସିଅଛନ୍ତି। ସେମାନେ ବ୍ରାହ୍ମଣ କ୍ଷତ୍ରିୟଙ୍କ ପରି ସ୍ୱହସ୍ତରେ କୃଷି କାର୍ଯ୍ୟ କରନ୍ତି ନାହିଁ। ଚଉରାଶୀ ଘରକୁ ଯାଚ଼କତା କରିବା ସେମାନଙ୍କ ଜୀବନୋପାୟର ପ୍ରଧାନ ଅଙ୍ଗରୂପେ ପୂର୍ବୋକ୍ତ ଭରୋଷଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ହୋଇ ଥିଲା।

ଉତ୍କଳାଗତ ୪୪ ଘର ବିଦୁରବଂଶୀ କ୍ଷତ୍ରୀମାନେ ସର୍ବପ୍ରଥମରେ ଉତ୍କାଳାନ୍ତର୍ଗତ ପାଟଣା ରାଜ୍ୟରେ ଉପନିବେଶ ସ୍ଥାପନ କଲେ। ତାତ୍କାଲୀନ ପାଟଣାଧୀଶ୍ୱର ସେମାନଙ୍କର କୃଷି କାର୍ଯ୍ୟରେ ନିପୁଣତା ଦେଖି ରାଜ୍ୟର ଶ୍ରୀବୃଦ୍ଧି କରଣୋଦ୍ଦେଶ୍ୟରେ ବଡ଼ ବଡ଼ ଭୂମି ଓ ଗ୍ରାମମାନ ପ୍ରଦାନ କରିଥିଲେ। ସମାନଙ୍କ ମଧ୍ୟରୁ କେତେକ ଘର ନବଗଠିତ ସମ୍ୱଲପୁର ରାଜ୍ୟର ଚତୁର୍ଥ ରାଜା ମଧୁକରସାଏଙ୍କ ଆଶ୍ରୟରେ ପାଟଣାରୁ ବାହାରି ଆସି ପ୍ରଥମତଃ ଲଇଡ଼ା ଗ୍ରାମରେ ଉପନିବେଶ ସ୍ଥାପନ କରିଥିଲେ। ଅଦ୍ୟାପି ଉକ୍ତଜାତୀୟ ଲୋକେ ଲଇଡ଼ା ଗ୍ରାମକୁ ସେମାନଙ୍କ କୁଳର ଝାମ୍ପି (ପେଡ଼ୀ) ଉତୁରା ସ୍ଥଳ ବୋଲି କହନ୍ତି। ସେମାନେ ବଂଶ ବୃଦ୍ଧି କ୍ରମେ ପାଟଣା, ଫୁଲଝର, ବିଲାସପୁର, ସମ୍ୱଲପୁର, ଗାଙ୍ଗପୁର ଓ ବାମଣ୍ଡା ପ୍ରଭୃତିରେ ବାସ କରିବାକୁ ଲାଗିଲେ। ସେମାନେ ଆଗ୍ରାରୁ ଆସିଥିବା ହେତୁ ଉତ୍କଳରେ ଆଗ୍ରିଆ ଜାତି ବୋଲି କଥିତ ହୋଇଗଲେ। କାଳକ୍ରମେ ଆଗ୍ରିଆ ଶବ୍ଦ ଅଘରିଆ ଓ ଅଗରିଆରେ ପରିଣତ ହୋଇଯାଇଅଛି।

ଆଗ୍ରିଆ ବଂଶ ଓ ଗୋତ୍ର

ଆଗ୍ରିଆ ଜାତି ତିନି ଭାଗରେ ବିଭକ୍ତ- ୧-ଚଉଧରୀ, ୨-ନାୟକ, ୩-ପଟେଲ। ୮୪ ଘର ମଧ୍ୟରୁ ୬ ଘର ଚଉଧରୀ, ୧୮ ଘର ନାୟକ ଓ ୬୦ ଘର ପଟେଲ ଶ୍ରେଣୀୟ। ଚଉଧରୀମାନଙ୍କର କୁଇଲି କଟାର, ନାୟକ ମାନଙ୍କର ଯମ୍‍ଦାଢ଼ କଟାର ଏବଂ ପଟେଲମାନଙ୍କର ମେଘନାଦ କଟାର ଜାତୀୟ ସଙ୍କେତ ବା ସନ୍ତକ ରୂପେ ବ୍ୟବହୃତ।

ବିଦୁର ବଂଶୀୟ କ୍ଷତ୍ରୀମାନେ ଏକ ବଂଶୋଭବ ହୋଇ କିପରି ୮୪ ଗୋଟି ଗୋତ୍ର ଧାରଣ କଲେ ତହିଁରେ ବିଶେଷ ବିବରଣ ଅଙ୍କିତ କରାଗଲା-ବିଦୁରବଂଶ କ୍ଷତ୍ରୀମାନେ ଇତିପୂର୍ବେ କାଶ୍ୟପ ଓ ସାଣ୍ଡୀଳ ଗୋତ୍ର ଦ୍ୱୟର ବିବାହ ଡଲାଉଥିଲେ ତଦନୁସାରେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ଚଲାଉଛନ୍ତି। ଆପଣା୨ ମବେସୀ ଆଦିରେ କଟାରଚିହ୍ନ ସ୍ୱାମିତ୍ୱଚିହ୍ନ ସ୍ୱରୂପେ ଲଗାଉଥିଲେ କିନ୍ତୁ କାଳକ୍ରମେ କୁଳବୃଦ୍ଧି ହେତୁ କେତେକ ପଦାର୍ଥ ଅଚ଼ିହ୍ନିତ ହେବାରୁ ପରସ୍ପର ରେ ଗୋଳମାଳ ଜାତହେଲା। ତାହା ମେଣ୍ଟାଇବା ନିମନ୍ତେ ନିମ୍ନରେ ଉତ୍କଳାଗତ ୪୪ ଘରଙ୍କର ବାନ (ବର୍ଗ) ଓ ଗୋତ (ଗୋତ୍ର) ର ତାଲିକା ପ୍ରଦତ୍ତ ହେଲା-


୧. ଚଉଧରୀ

୧. ଖୀଚ଼ି - କୋମଣ୍ଡଳ

୨. କୁମ୍ଭକଳସ - ନାରଦ

୩. ନାହାନ - ବଟୁଶ୍ୟାମ

୪. କୁଠୀ - ଆକ୍ରେୟ

୫. ହଂସା - ଅଙ୍ଗୀରା

୬. ଠେଲା - କପିଲ


୨. ନାୟକ

୧. ଲେଉନିଆ - କୁମ୍ଭଜ

୨. କଲିହାରୀ - ବେଦବ୍ୟାସ

୩. ଝିଟୋରୀ - ସାଗର

୪. ଶିରସାଣ୍ଟ - କାଶ୍ୟପ

୫. ସନବିରା - ଯମଦର

୬. ଚିତା - ଶଙ୍କର

୭. ଗୋନା - ଯମୁନା

୮. ଅଲକରା - ଗଜଜେଶର

୯. ସିନ୍ଦୂରିଆ - ଯନ୍ତ୍ରିକା

୧୦. ଚଉପଟ୍ଟା - ଭୁଜବଳ

୧୧. ରାଜକେଶର - କୌଶିକ

୧୨. ବିରିହିବରାଗ - ମହେଶ୍ୱର

୧୩. ଚନ୍ଦ୍ରମା - ଅହଲ୍ୟା

୧୪. କରାୟତ - ଗୟାଘାଟ

୧୫. ବଙ୍କା - କରଚୂଳି

୧୬. ଡିବରା - ଜଗଧର

୧୭. ଗୋକୁଳକାନ - ଗୟାଧର

୧୮. କଲ୍ୟା - ବେଦବ୍ୟାସ


୩. ପଟେଲ

୧. ତିହୁରିଆ - ନର୍ମଦା

୨. ପନୋରିଆ - ଅଶୀଳ

୩. ଖଣ୍ଡରିଆ - କାଶୀ

୪. ଗେରୁଆଁ - ଗାଏଘାଟ

୫. ମଧୁଘୋଘରା - ଗୟାପିଣ୍ଡ

୬. ଘି ସାଗର - ଗୟାପିଣ୍ଡ

୭. ହଟନାଙ୍ଗର - ବଟୁଶ୍ୟାମ

୮. ଠୁସର - ସାଣ୍ଡିଳ

୯. ସନାହୀ - ବ୍ରହ୍ମା

୧୦. ରାଉତ - ମହିଲାଗର

୧୧. ଫଲାହା - ଦେଓସ୍ଥାନ

୧୨. ଡାଆଁସ - କୌଶିକ

୧୩. ବର୍ହା - ଗୌତମ

୧୪. ନହିଲା - ଜଗଚିଲ୍ଲୀ

୧୫. ଭଇଁସା - କରସାୟେଲ

୧୬. ବଳରାମ - ଭରଦ୍ୱାଜ

୧୭. ଅଗ୍ନିକୁମାର - ଘୋଘର

୧୮. ଅଣ୍ଡିଳବାଗ - ନୀଳଧର

୧୯. ସୋନବରଷା - ଫଳାଗର

୨୦.ଟେକସିଂହରିଆ - ଜମଦଗ୍ନି


କୁଳପ୍ରବର୍ତ୍ତକ ଋଷିମାନଙ୍କ ଦ୍ୱାରା ନୂତନ ବାନାନିଶାଳା ଯାହା ବାନବୋଲି ଅଙ୍କିତ ଅଛି ସେହିଚିହ୍ନ ଦ୍ୱାରା ଆପଣାର ସ୍ୱାମିତ୍ୱ ସଙ୍କେତ ରକ୍ଷାହେଲା ଏବଂ ସେହିକୁଳପ୍ରବର୍ତ୍ତକ ଋଷିମାନଙ୍କୁ ଗୋତ୍ରସ୍ୱରୂପେ ଆଖ୍ୟାଯୁନ କରିନେଲେ। ଅସ୍ତ୍ରମଧ୍ୟରେ ୩ ଗୋଟି କଟାର ଥିଲା। ଏହା ସେହି ସମୟେ ଓ ବର୍ତ୍ତମାନସୁଦ୍ଧା ସନ୍ତକ ସ୍ୱରୂପେ ବ୍ୟବହୃତ ହେଉଅଛି। ସେହି କଟାର ଧାରଣ ଅନୁସାରେ ଘର ବିଭକ୍ତ ହୋଇଅଛି ଯଥା-୬ ଜଣ କୁଇଲିକଟାର ରଖିବାରୁ ଚଉଧରୀ ବୋଲାଇଲେ ୧୮ ଜଣ ଯମଦାଢ଼କଟାର ରଖିବାରୁ ନାୟକ ବୋଲାଇଲେ ୬୦ ଜଣ ମେଘନାଦକଟାର ରଖିବାରୁ ପଟେଲ ବୋଲାଇଲେ।


ନିମ୍ନୋନ୍ଧୃତ ହିନ୍ଦୀ କବିତ୍ୱରୁ ଗୋଟିଏ ଘରର ବର୍ଗ, ଗୋତ୍ର, ଐଶ୍ୱର୍ଯ୍ୟ ଓ କାର୍ଯ୍ୟବଳୀର ନିଦର୍ଶନର ପରିଚ଼ୟ ମିଳେ। "ଯସମାନୀ ଯଶବର୍ଣ୍ଣ ଗୋତଭାଗୀ ପ୍ରଦାନ ବହୁଗଡୁଆ ଗଡ଼ବୀର ଖେତବି ଯେ ସୱାର ସାତଶୋପାହାନକୋ ବନ୍ଦକାଟୋ, ସୁନେନରୂପେନକୋଗ୍ରାହୀ ସୁବିଲ୍ଲୋଲଗଙ୍ଗମେ ଗଣ୍ଡପଙ୍ଖାରେ ସୋଇ ନର୍ମଦାକେ ମଣ୍ଡଳ ବାନତିହୁରିଆ ଗୋତ ନର୍ମଦା।" ଅଧିକାଂଶ ଘର ନିଜନିଜ ଗୋତ୍ର ଜାଣି ନ ଥିବା ହେତୁ କାଶ୍ୟପ ଓ ସାଣ୍ଡିଳ ଗୋତ୍ରରେ ବିବାହାଦି କୃତ୍ୟ ଚଳାଇ ଆସୁଅଛନ୍ତି।

ଆଗ୍ରିଆ ବିଷୟରେ

ରୂପ

କ୍ଷତ୍ରିୟ ବୀର୍ଯ୍ୟରେ ଜାତ ହୋଇଥିବାରୁ ସାଧାରଣତଃ ଏ ଜାତିର ସ୍ତ୍ରୀ ପୁରୁଷ ଅପେକ୍ଷାକୃତ ସୁନ୍ଦର, ପାଣିଆଗର ଓ ତେଜସ୍ୱୀ ଦେଖାଯାନ୍ତି।

ଭୂଷଣ

ସ୍ତ୍ରୀମାନେ ସୁନାରୂପାର ଅଳଙ୍କାର ବେଶୀ ଧାରଣ କରନ୍ତି। ଶାଢ଼ୀର ପଣନ୍ତ ଭୂଜନୀ କାନ୍ଧରେ ପକାନ୍ତି। ପୁରୁଷ ମାନେ ବଳା (ଖଡୁ) ଧାରଣ କରନ୍ତି। ଖଣ୍ଡିଏ ଓସାର ଆଁଛିମୁହାଁ ଧଡ଼ିଦାର ଅଙ୍ଗୁଛି ଅଙ୍ଗରେ ପକାଇବା ଓ ମୁଣ୍ଡରେ ପାଗ କରିବା ଏ ଜାତୀୟ ଅଧିକାଂଶ ପୁରୁଷଙ୍କୁ ଦେଖାଯାଏ।

ମାତୃଭାଷା

ଆଗ୍ରା ହିନ୍ଦୀ ଓ ବ୍ରଜ ଅଞ୍ଚଳର ହିନ୍ଦୀ ମିଶ୍ରଣ ଜାତ ଏକ ପ୍ରକାର ଭାଷା ଆଗ୍ରିଆ ମାନଙ୍କର ଘରୋଇ ଭାଷା ଅଟେ। ସେଥିରେ ଉତ୍କଳ ଭାଷା ସୁଦ୍ଧା ମିଶିଥିବାର ଜଣାଯାଏ।

ଶିକ୍ଷା

କୃଷି ଏମାନଙ୍କର ପ୍ରଧାନ ଜୀବନୋପାୟ ବୋଲି ଶିକ୍ଷାରେ ସେପରି ମନଯୋଗ ଦେଉନାହାନ୍ତି। ସାଧାରଣତଃ ବର୍ଣ୍ଣ ଜ୍ଞାନ ହେଲେ ଯଥେଷ୍ଟ ବୋଲି ମନେ କରିଥାନ୍ତି ବର୍ତ୍ତମାନ କାହାରି୨କୁ ଉଚ୍ଚ ଶିକ୍ଷା କରୁଥିବାର ଦେଖାଯାଏ।

ପୁରୋହିତ

ଏମାନଙ୍କର କୁଳ ପୁରୋହିତ କାନ୍ୟକୁବ୍ଳ ବ୍ରାହ୍ମଣମାନେ ଅଟନ୍ତି। ଅଭାବସ୍ଥଳେ ଉତ୍କଳୀୟ ଓ ଆରଣ୍ୟକ ବ୍ରାହ୍ମଣ ମାନଙ୍କଦ୍ୱାରା କାର୍ଯ୍ୟ ଚଳାଇଥାନ୍ତି। ଆଚ଼ାର ବ୍ୟବହାର। ଆଗ୍ରିଆମାନେ ଅନ୍ୟ କୌଣସି ଜାତି ହସ୍ତରେ ଅନ୍ନଭୋଜନ କରନ୍ତି ନାହିଁ। କେବଳ ଗଉଡ଼ ହାତରେ ପାଣି ଖାଆନ୍ତି। ମଦ୍ୟପାନ ଏକାବେଳକେ ନିଷେଧ ରହିଅଛି। ଖସିମାଂସ ଖାଆନ୍ତି ନାହିଁ। ପିଆଜ ରୋପନ୍ତି ନାହିଁ।

ବିବାହ

ବାଲ୍ୟ ବିବାହପ୍ରଥା ପ୍ରଚ଼ଳିତ ଅଛି। କୌଣସି କନ୍ୟା ଉପଯୁକ୍ତ ପାତ୍ର ଆଭାବରେ ଅନୂଢ଼ା (ବାଡେ଼ା) ହୋଇ ରହି ଯାଉଥିଲେ, ଅନୂପଯୁକ୍ତ ପାତ୍ରରେ ସୁଦ୍ଧା ବିବାହ ଦିଅନ୍ତି। ବାଲ୍ୟବିଧବା ବୟଃପ୍ରାପ୍ତ ହେଲେ ଦ୍ୱିତୀୟପତି ଗୃହକୁ ନବବଧୂ ଯାତ୍ରା କରିଥାଏ। କନ୍ୟାପିତା କନ୍ୟାଶୁଳ୍କ ନିଏ ନାହିଁ। ଅନେକେ ପ୍ରଥମ ବିବାହରେ ଦେଇଥିବା ଯୌତୁକ ସମ୍ଭାର ଦ୍ୱିତୀୟ ବର ପାତ୍ରକୁ ଦେଇଥାନ୍ତି। ନ୍ୟାୟ ନୈମିତ୍ତକ ସମସ୍ତ କାର୍ଯ୍ୟ ପୁରୋହିତ ବ୍ରାହ୍ମଣଙ୍କଦ୍ୱାରା ସମ୍ପନ୍ନ ହୁଏ।

ଧର୍ମ

ସନାତନ ସ୍ନାର୍ତ୍ତମତେ ପୁରାଣ ପାଠ, ତୀର୍ଥ ଦର୍ଶନ, ପ୍ରତିମା ପୂଜା ବ୍ରାହ୍ମଣ ଭୋଜନ ଆଦି ଧର୍ମକର୍ମ ଆଚ଼ରିତ ହୋଇ ଥାଏ।

ସମାଜ

ପୂର୍ବକାଳରୁ ସାମାଜିକ ସଭାସମିତି ରହିଅଛି। ସେହି ସଭା ବା ଗୁଡ଼ିମାନଙ୍କରେ ଜାତିର ସମସ୍ତ ଅଭାବ ଅଭିଯୋଗର ନିଷ୍ପତ୍ତି ହୁଏ। ଗତ ଖ୍ରୀଷ୍ଟୀୟ ୧୯୦୪ ସାଲରୁ ସାମାଜିକ ସଭାର ସଂସ୍କାର କରାଯାଇଅଛି। ଏହି ନୂତନ ନିୟମରେ ସମ୍ୱଲପୁର, ଗାଙ୍ଗପୁର, ଜୟପୁର ଓ ବାମଣ୍ଡାରେ ୧୫ ଗୋଟି ସଭା ପ୍ରତିଷ୍ଠିତ ହୋଇଅଛି। ୧୫, ୧୬ ଖଣ୍ଡ ଗ୍ରାମ ଘେନି ସେଥିରେ କୈନ୍ଦ୍ରିକ ଗ୍ରାମର ଜଗନ୍ନାଥ ମନ୍ଦିର ବେଢ଼ାରେ ସଭା ବସେ। ପ୍ରତି ସଭାପାଇଁ ଜଣେ ଜଣେ ସଭାପତି ଓ ୯ ଜଣ ଲେଖାଏଁ ସଭ୍ୟ ନିର୍ବାଚ଼ିତ ହୋଇଅଛନ୍ତି। ସଭାରେ ଜାତିର ବିଷୟ ଛଡ଼ା ଅର୍ଥିପ୍ରତ୍ୟର୍ଥି ମାନଙ୍କର ବିବାଦ ବିଷୟାଦିର ନିଷ୍ପତ୍ତି ହୁଏ। ଦ୍ୱିଖଣ୍ଡିଏ ବହିରେ ଫଇସଲା ଲିଖିତ ହୋଇ ରହେ। ପକ୍ଷମାନଙ୍କମଧ୍ୟରେ ଯାହାକୁ ଦଣ୍ଡ କରାଯାଏ, ତାଘରେ ଭୋଜି ଦଣ୍ଡ କରନ୍ତି। ଅର୍ଥ ଦଣ୍ଡ ରେ ହିସାବ ପତ୍ର ରହେ। ସେଥିରେ ସମାଜର ଖର୍ଚ୍ଚ, ପୁରୋହିତ ତ୍ରସୋନ୍ଧୀ ଏବଂ ଜାତୀୟ ଅସମର୍ଥ ବ୍ୟକ୍ତିଙ୍କର ସାହାଯ୍ୟ କରାଯାଏ।

ସାମାଜିକ ନିୟମାବଳୀ

୧- ସଗାଇ, ଗଉନା, ଦୁଆରଖୁନ୍ଦା, କନ୍ୟା ଦେଖନି, ମଗନି ପ୍ରଭୃତି କାର୍ଯ୍ୟର ବ୍ୟୟ ସଭା କର୍ତ୍ତୃକ ନିର୍ଦ୍ଧାରୀତ ହୋଇଅଛି। କେହି ସେଥିର ବହିର୍ଭୂତ କାର୍ଯ୍ୟ କଲେ ସେ ଦଣ୍ଡିତ ହୁଅନ୍ତି।

୨- ଯୁବତୀ ସ୍ତ୍ରୀମାନେ ହାଟ, ମେଳା, ଯାତ୍ରା ଓ ରାଜଧାନୀ ଆଦି ଜନସମାଗମ ସ୍ଥଳକୁ ଯାଇପାରନ୍ତି ନାହିଁ। ନିୟମ ଅମାନ୍ୟକଲେ ସାମାଜିକ ଦଣ୍ଡ ପ୍ରାପ୍ତ ହୁଅନ୍ତି।

୩- ପୁରୁଷ ବିବାହିତା ଭାର୍ଯ୍ୟାକୁ ତ୍ୟାଗ କରିପାରେ ନାହିଁ। ସ୍ତ୍ରୀ ଅକର୍ମଣ୍ୟ ହେଲେ ସୁଦ୍ଧା ପୁରୁଷ ତାର ଆଜୀବନ ଭରଣ ପୋଷଣ କରିବାକୁ ବାଧ୍ୟ। ସ୍ତ୍ରୀ ମଧ୍ୟ ପୁରୁଷକୁ ଛାଡ଼ି ନ ପାରେ। କୌଣସି ଉପଯୁକ୍ତ କାରଣ ଦେଖାଇ ପାରିଲେ ସମାଜର ଅନୁମତିରେ ଅନ୍ୟପତି କରିପାରନ୍ତି।

୪- ସ୍ତ୍ରୀମାନେ ସର୍ବଦା ଓଢ଼ଣା ଦିଅନ୍ତି। ଅନେକ କୃଷି କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି। ପ୍ରାୟ ସମସ୍ତ ସ୍ତ୍ରୀ ସୂତା କାଟନ୍ତି। ଓଢ଼ଣାଶୂନ୍ୟ ଅବସ୍ଥାରେ କୌଣସି ସ୍ତ୍ରୀ ଦେଖାଗଲେ ସେ ଏକ ଏହୋରାତ୍ର ଚାନ୍ଦ୍ରାୟଣ ବ୍ରତକରି ଅନ୍ୟଦିନ ଜାତୀୟ କୌଣସି ସ୍ତ୍ରୀ ସହିତ ପାରଣା କରନ୍ତି।

୫- ଜାତି ବିଷୟକ ନ୍ୟାୟ ଆଗେ ସମାଜରେ ନ ପଡ଼ି ରାଜସରକାରଙ୍କ ଅଦାଲତକୁ ଗଲେ, ତା ପ୍ରତି ସାମାଜିକ ଦଣ୍ଡ ପ୍ରବର୍ତ୍ତେ। କୌଣସି ପକ୍ଷ ଏହି ବିଧି ଅମାନ୍ୟ କଲେ, ସମାଜ ଅପର ପକ୍ଷକୁ ଅର୍ଥ ସାହାଯ୍ୟ କରି ମୋକଦମା ଚଳାନ୍ତି।

୬- ସ୍ୱଜାତୀୟ ନିର୍ଧନ ବ୍ୟକ୍ତି ସାହାଯ୍ୟ ପ୍ରାଥର୍ୀ ହେଲେ, ଜାତି ମଧ୍ୟରେ ଚାନ୍ଦା କରି ତାକୁ ସାହାଯ୍ୟ କରାଯାଇ ଥାଏ।

ପ୍ରାର୍ଥନା

ଜୟ ପରମାତ୍ମା ବିଶ୍ୱପତି ଜନାର୍ଦ୍ଦନ।

ତବ ଚରଣାରବିନ୍ଦେ ସଦାରହୁ ମନ।

ସଂସାର ତରଙ୍ଗେ ଭାସି ହୋଇ ନିରୁପାୟ।

ଲୋଡେ଼ ଆଶା ରଖି ତବ ଶ୍ରୀପଦ ସହାୟ।

ମୋ ମନୁ ନୋହିଲା ଦୂର କଳୁଷ ଅସାର।

ନାମ ଭକ୍ତି ବିନା ମୁକ୍ତି ପଥ ନାହିଁ ଆର।

ଘେନି ମୋ କିଞ୍ଚିତ ଭକ୍ତି ଦୟାମୟ ହରି।

ଏମାୟା ସଂସାରୁ ମୋତେ ନିଅହେ ଉଦ୍ଧରି।

ଅଜ୍ଞାନେ କାଟିଲି ପ୍ରଭୋ ଅମୂଲ୍ୟ ସମୟ।

ତବ କୃପାଲେଶ ହେଲେ ପାପଯିବ କ୍ଷୟ।

ହେ କରୁଣା ସିନ୍ଧୁ ମମସ୍ୱାମୀ ବିଶ୍ୱପତି।

ହୀନ ବାଲୁଙ୍କେଶ୍ୱରକୁ ଦିଅ ସଦଗତି।

 

ଶ୍ରୀକୃଷ୍ଣଙ୍କ ନିକଟରେ ବିଦୁରଙ୍କର ବର ପ୍ରାର୍ଥନା

ନମୋ ଜନ୍ମ ବିଦେଶଞ୍ଚ ନମୋ ଜନ୍ମ ଦରିଦ୍ରତା।

ନମୋ ଜନ୍ମନିମୂର୍ଖଞ୍ଚ ସ୍ତ୍ରୀ ଜନ୍ମଞ୍ଚ ନମୋନମଃ।

ପାତ୍ରେଦାନଂ ମତିକୃଷ୍ଣେ ମରଣଂ ଜାହ୍ନବୀତଟେ।

ସ୍ଥାନେବାସଂ କୁଳେଜନ୍ମ ଦେହିମେ ମଧୁସୂଦନ।

ତିଳକଂ ବିପ୍ରହସ୍ରେତ ମାତୃହସ୍ତେ ସୁଭୋଜନଂ।

ପିଣ୍ଡଂ ସୁପୁତ୍ରହସ୍ତେ ଚ ଦେହିମେ ମଧୁସୂଦନ।

ଏକବାର୍ଯ୍ୟା ତ୍ରୟଃପୁତ୍ରାଃ ଦଶଧେନୁ ଦୁହାଳକଂ।

ଗଙ୍ଗାତୀରେ ମମ ବାସଞ୍ଚ ଦେହିମେ ମଧୁସୂଦନ।

ଭୋଜନେ ବନ୍ଧୁ ସଂକୀର୍ଣ୍ଣଂ ଦେହିମେ ମଧୁସୂଦନ।

ପ୍ରଶ୍ନ ଓ ଉତ୍ତର

ଆଗ୍ରିଆ ଜାତି ସମାଜ ସମନ୍ଧୀୟ ନିମ୍ନଲିଖିତ କେତେଗୋଟି ବିଷୟରେ ପ୍ରଶ୍ନର ଉତ୍ତର ସରକାରଙ୍କ ତରଫରୁ ସେନ୍‍ସେସ ଅଫିସର ମାଗିଥିବାରୁ ତାହା ନିମ୍ନଲିଖିତ ଅନୁସାରେ ଦିଆ ହୋଇଅଛି।


(୧) ଜାତି ପଞ୍ଚାୟତ ଅଛିକି ନାହିଁ ? କୌଣସି ଜାତିର ନିୟମଭଙ୍ଗ ହେଲେ କିମ୍ୱା କୌଣସି ଦୋଷଯୁକ୍ତ ଘଟଣା ହେଲେ ସଭା ଗଠନ ହୁଏ କି ? ସଭା ସ୍ଥାୟୀଭାବରେ ଅଛି କି ?

ଜାତିପଞ୍ଚାୟତ ଅଛି ବର୍ଷମଧ୍ୟରେ କୌଣସି ଜାତିର ନିୟମ ଭଙ୍ଗ ହେଲେ କି କାହାର ଉପରେ କୌଣସି ଦୋଷ ଘଟିଲେ ସଭା ଗଠନ ହୁଏ। କେବଳ ବର୍ଷକୁ ଥରେ ବାର୍ଷିକ ସଭାହୁଏ। ତାହା ସ୍ଥାୟୀ ଭାବରେ ହେଉଅଛି। ତହିଁରେ ସମୁଦାୟ ସମାଜର ଲୋକେ ଜମା ହୁଅନ୍ତି। ପ୍ରତି ମାଘ ମାସରେ ୧ ସପ୍ତାହ ପର୍ଯ୍ୟନ୍ତ ୧୫ ଗୋଟି ସଭାସ୍ଥଳ ମଧ୍ୟରୁ ପ୍ରତ୍ୟେକ ସ୍ଥଳରେ ବର୍ଷକୁ ଥରେ ଲେଖାଏ ସଭାହୁଏ। ଏହା ମଧ୍ୟରୁ ସମ୍ୱଲପୁର ଖାଳସା ମଧ୍ୟରେ ୪ ଗୋଟି ସଭାସ୍ଥଳ ଅଛି।


(୨) ପଞ୍ଚମାନଙ୍କୁ କିପରି ବାହାଲ କରାଯାଏ ଅର୍ଥାତ ବଶ ପରମ୍ପରା କ୍ରମେ ପଦ ମିଲେ କିମ୍ୱା ନିର୍ବାଚ଼ନ ହୁଏ? ଯଦିଓ ନିର୍ବାଚ଼ନ ହୁଏ ତାହାହେଲେ କାହାଦ୍ୱାରା ହୁଏ?

ପଞ୍ଚମାନଙ୍କୁ ନିର୍ବାଚନଦ୍ୱାରା ମେମ୍ୱର ନିଯୁକ୍ତି କରାଯାଏ କୌଣସି ପଞ୍ଚାୟତ ମେମ୍ୱର ଅପାରଗ କିମ୍ୱା ରୁଷବତି ଗ୍ରହଣ କଲେ କି ମୃତ୍ୟୁ ହୋଇଗଲେ ତାହା ବଦଳରେ ଅନ୍ୟଜଣକୁ ଯୋଗ୍ୟ ବିଚ଼ାରି ସମସ୍ତ ଜାତି ମାନଙ୍କ ଦ୍ୱାରା ମନୋନୀତ କରାଯାଏ।


(୩) ପଞ୍ଚାୟତରେ କେତେଜଣ ମେମ୍ୱର ଅଛନ୍ତି? ତାହା ମଧ୍ୟରେ ସଭାପତି ଅଛନ୍ତି କି ନାହିଁ?

ପଞ୍ଚୟାତରେ ୧୦ ଜଣ ମେମ୍ୱର। ସେଥିମଧ୍ୟରୁ ଜଣେ ସଭା ଥିବା ଗ୍ରାମର ଗୌନ୍ତିଆ ସଭାପତି ହୋଇ ଥାଏ । ପ୍ରତ୍ୟେକ ସଭାରେ ଜଣେ ଲେଖାଏ ସଭାପତି ଅଛନ୍ତି।


(୪) ପଞ୍ଚାୟତର ଅଧିକାର ସ୍ଥଳ କେତେ ? କିମ୍ୱା କେତେ ଜିଲ୍ଲା କି ଗୋଟିଏ ଜିଲ୍ଲା କିମ୍ୱା କେତେଗ୍ରାମ କି ଗୋଟିଏ ଗ୍ରାମ?

ପଞ୍ଚୟାତ ସଭାସ୍ଥଳ ଚତୁର୍ଦ୍ଦିଗ କେତେକ ଗ୍ରାମ ସୀମା ନିର୍ଦ୍ଦେଶ ରୂପରେ ପଞ୍ଚୟାତର ଅଧିକାର ଥାଏ। ଯେପରି କି ଲଇଡ଼ାରେ ପଞ୍ଚାୟତ ସଭାଅଛି। ଉକ୍ତ ଗ୍ରାମର ଚତୁର୍ଦିଗ ନିକଟସ୍ଥ ଗ୍ରାମ ସମାସିଙ୍ଗା ଠାରୁ ଲଇଡ଼ାର ଅଧିକାଂଶ ଓ ତାଳପଟୀଆ ଟାଙ୍ଗରପାଲି ସଭାର ଝାରସୁଗୁଡ଼ାଦି ଚତୁର୍ଦ୍ଦିଗ ଗ୍ରାମ ସେହିପରି ସାହାସପୁର ଆଦି।


(୫)ପଞ୍ଚାୟତ କେଉଁ ବିଷୟର କଥା ବିଚ଼ାର କରନ୍ତି କିପରି ଜାତି ବିଷୟ?

ପଞ୍ଚାୟତ ସମସ୍ତ ସ୍ୱଜାତି ମାନଙ୍କର କେବଳ ଦୋଷାଦୋଷ ବିଚ଼ାର କରନ୍ତି ଯତା ବିଭା ବନ୍ଦାପଣା ଖରଚା ନିୟମ ବିରୁଦ୍ଧ କିମ୍ୱା ବିବାହିତ ସ୍ତ୍ରୀ ପୁରୁଷ ଛଡ଼ାଛଡ଼ି ହୋଇଥିବା କିମ୍ୱା ହର୍ଯାନା ବା ଖୁରାକ ପୁଷାକ ଅଥବା ପତିତ ବା ନୀଚ଼ ଜାତିର ସଂସର୍ଗରେ ଜାତ୍ୟାନ୍ତର ହୋଇଥାଏ କିମ୍ୱା ସଂସର୍ଗତା ଅନ୍ୟ ଜାତିରେ କିମ୍ୱା ସ୍ୱଜାତିରେ ହେଲେ କାହାରି ଉପରେ ଦୈବଦଣ୍ଡ (ମାଛିଆପାତକ) ପିତାମାତାଙ୍କୁ ଅପାଳନ, ଭାଇ ୨ ମଧ୍ୟରେ ବଣ୍ଟନ ନିର୍ଦ୍ଦାରଣ, କିମ୍ୱା ସ୍ୱଜାତିର କୌଣସି ଗରିବର ବିଭା ବନ୍ଦାପନା ବା ପରିପୋଷଣରେ ସାହାଯ୍ୟ ଦେବା, ସ୍ୱଜାତି ଲୋକଙ୍କୁ ଅପମାନ କରିବା କିମ୍ୱା କାହାରି ଉପରେ କଳଙ୍କାରୋପ କରାଯିବା ଆଦି ଯାବତୀୟ ସ୍ୱଜାତି ସମ୍ୱନ୍ଧର ବିଚ଼ାର କରାଯାଇଥାଏ।


(୬) ପଞ୍ଚାୟତ କାହାର କଥାରେ କାର୍ଯ୍ୟାରମ୍ଭ କରନ୍ତି?

ପଞ୍ଚାୟତ ଦଫା ୫ ଲିଖିତ ବିଷୟମାନ ଯେଉଁ ଗ୍ରାମରେ ଘଟଣା ହୁଏ ସେହି ଗ୍ରାମର ଜାତିମାନଙ୍କୁ ସନ୍ଦେହ ବୋଧହେଲେ ଘଟଣାକାରୀ ବା ଦୋଷୀର ସହିତ ସଭାସ୍ଥଳ ଅର୍ଥାତ ଗୁଡ଼ିରେ ଯାଇ ଉକ୍ତ ବିଷୟ ବାଚ଼ନିକ କିମ୍ୱା ଲିଖିତ ଭାବରେ ଜଣାଇଲେ ସଭାପତି ଗ୍ରାମର ମେମ୍ୱର ଓ ସମସ୍ତ ଜାତିମାନଙ୍କୁ ଡ଼ାକି ଓ ତାଙ୍କର ଗୁଡ଼ୀଇ ଲାକାର ଜାତିମାନଙ୍କୁ ଡକରାକରି ସଭାବସିବାର ଦିନ ଗୋଟିଏ ମୂକରର କରନ୍ତି।


(୭) ଅର୍ଥାତ ବାଧା ଘଟିଲେ କାହାରଠାରେ ନାଳିଶ ହୁଏ? ଓ କିଏ ପଞ୍ଚାୟତ ବସାଏ?

ବାଧା ପଡ଼ିଲେ ପ୍ରଥମେ ଗ୍ରାମର ଜାତିମାନଙ୍କୁ ଜଣାନ୍ତି। ପରେ ସଭାରେ ଜଣାଇଲେ ସଭାପତି ଗ୍ରାମର ମେମ୍ୱର ଓ ଜାତିମାନଙ୍କର ମତରେ ଯମା କରନ୍ତି।


(୮) ପଞ୍ଚ ଜମାହେଲେ କାର୍ଯ୍ୟାବଳୀ କିପରି କରାଯାଏ?

ପଞ୍ଚାୟତ ସଭାଥିବା ଗ୍ରାମ ଜଗନ୍ନାଥ ମହାପ୍ରଭୁଙ୍କର ମନ୍ଦିର ସମ୍ମୁଖ ମୁଖଶାଳା କିମ୍ୱା ମଣ୍ଡୁଆତଳର ମଧ୍ୟରେ କିଛି ସ୍ଥାନ ଖାଲି ରଖି ଚକ୍ରାକୃତିରେ ବସି କେହି ଜଣକୁ ବାଧାକାରୀଙ୍କୁ ପ୍ରଶ୍ନ କରିବାନିମନ୍ତେ ମନୋନୀତ କରାଯାଏ ସଭାମଧ୍ୟରେ ଉକ୍ତି କରିବାର ସମସ୍ତଙ୍କର ଅଧିକାର ଥାଏ ମାତ୍ରକ ଉକ୍ତି କଲାବେଲେ ସମସ୍ତଙ୍କର ଅଧିକାର ଥାଏ ମାତ୍ରକ ଉକ୍ତି କଲାବେଳେ ସମସ୍ତଙ୍କର ଅନୂମତି ନିଆହୋଇଥାଏ।


(୯) ଯାହାକୁ ଦଣ୍ଡ ଦିଆଯାଉଅଛି ତାକୁ କିପରି ଦଣ୍ଡ ହୁଏ? କେଉଁ ୨ ଅପରାଧ ପାଇଁ କେଉଁ ଦଣ୍ଡ ଦିଆଯାଏ?

ପଞ୍ଚ ଯମାହେଲେ ଡକରା ହୋଇଥିବା ଜାତିମାନଙ୍କ ସହିତ ଏକତ୍ର ପରାମର୍ଶରେ ଅପ୍ରାଧକାରୀର ଦୋଷପ୍ରତି ମନୁସଂହିତା କି ଦାୟଭାଗ ଅନୁସାରେ ଦୋଷୀ ପ୍ରତି ଦଣ୍ଡବିଚ଼ାର କରାଯାଏ ଆଉ ତକରାଳ ସମ୍ୱନ୍ଧରେ କିମ୍ୱା ବଣ୍ଟୁୱାରା ସମ୍ୱନ୍ଧର ହୋଇଥିଲେ କି ଯେଉଁ ବିଷୟରେ ୨-୩ ପକ୍ଷଥିବେ ତେବେ ପ୍ରତ୍ୟେକଠାରୁ ପ୍ରମାଣ ସାକ୍ଷ ଲେଖାକାରଣ ଆଦି ନିଆଯାଏ ନ୍ୟାୟାନୂସାରେ ସେମାନଙ୍କର ଉପରେ ଦୋଷ ପ୍ରମାଣିତ ହେଲେ ଦଣ୍ଡିତ କରାଯାଇଥାଏ।


(୧୦) ଯୋରିମାନା ହେଲେ କିପରି ଅଶୁଲ ହୁଏ ଓ କିପରି ବ୍ୟୟ କରାଯାଏ?

ଅଧିକାଂଶରେ ଭୋଜି ଦଣ୍ଡ ହୋଇଥାଏ କେତେକ ସାମାନ୍ୟ ଦଣ୍ଡରେ ଗୋଟିଏ ଗ୍ରାମ ମଧ୍ୟବିତ୍ତ ଦଣ୍ଡରେ କେତେଗୋଟୀ ଯୁରହର ଗ୍ରାମ ମିଶାଇ ଭୋଜି କରାଯାଏ। ବଡ଼ଭାର ଦଣ୍ଡ ରେ ଗୁଡ଼ିଇଲାକାର ସମସ୍ତଙ୍କୁ ଅଧିକାର ଦେଲେ ସମସ୍ତ ସଭାର (କୁର) ବା ମନୋନୀତ ବ୍ୟକ୍ତିମାନେ ଭୋଜିରେ ଏକତ୍ରୀତ ହୁଅନ୍ତି। ଜୋରିମାନା ପୃଥକ ହୋଇ ହୁଏ ନାହିଁ ଭୋଜିକରିବାର ଅସୁବିଧାହେଲେ ନଗଦ ସଭାରେ ନିଆଯାଏ ଆଉ ତାହା ସଭାରେ ଥିବା ବହିରେ ସେଖାଯାଏ। ଏହିପରି ପ୍ରତ୍ୟକ କାଣ୍ଡ ଓ ନିଷ୍ପତ୍ତି ସଂକ୍ଷିପ୍ତ ଭାବରେ ଲେଖା ହୋଇଥାଏ। ତହିଁରେ ସମସ୍ତଙ୍କର ଦସ୍ତଖତ ହୁଏ। ଉକ୍ତ ଜାତିର କେହି ଗରିବ ବ୍ୟକ୍ତିର ବିଭା ବନ୍ଦାପନା ଖରଚ଼ ବା ଦିସନ୍ଧୀକୁ ବା ମନ୍ଦିରର ଦେବତାଙ୍କର କୌଣସି କାର୍ଯ୍ୟରେ ବ୍ୟୟ ହୁଏ ବା ଯମାଥିଲେ ତାଙ୍କର ସାମାଜୀକ ଖରଚ଼ରେ ବ୍ୟୟ କରାଯାଇ ଥାଏ।


(୧୧) କୌଣସି ପଞ୍ଚାୟତ ନମାନିଲେ କିପରି କରାଯାଏ? ଜାତିର ବିଭାଗ (ଶାଖା) ଥିଲେ ଅଲଗା ପଞ୍ଚାୟତ ହେଉଅଛି କି ନାହିଁ?

କେହି ପଞ୍ଚାୟତ ନ ମାନିଲେ ତାଙ୍କ ସଭାରେ ପୂନର୍ବାର ବିଚ଼ାର ହୁଏ। ସେଥିରେ ସେ ନମାନିଲେ ତାକୁ ଜାତିରେ ବାରଣ ରଖାଯାଏ ଯଦି ସେମାନେ ଦୁଇପକ୍ଷଥାନ୍ତି ଜାତିସପକ୍ଷର ଲୋକଙ୍କୁ ରାଜ୍ୟସରକାରରେ ଅଦାଲତ ରେ ନାଳିଶ କରିବାକୁ ହୁକୁମ ଦିଆଯାଏ ଓ ତାର ଖରଚ଼ା ସଭା ଦିଅନ୍ତି। ଯାହା ଦଣ୍ଡଆଦିରୁ ଯମାଥାଏ ଏହି ଜାତିର ଗୋଟିଏ ଶାଖାଜାତି (ସରରିଆ) ଆଗ୍ରିଆ ବୋଲି ଅଛନ୍ତି। ସେମାନେ ଆଗ୍ରିଆଘରେ ଖାନ୍ତି ମାତ୍ରକ ଆଗ୍ରିଆମାନେ ସରରିଆଘରେ ଖାନ୍ତି ନାହିଁ ବିଭା ବନ୍ଦାପନା ଚଲେନାହିଁ। ପ୍ରଥମେ ଏକସଭାରେ ନ୍ୟାୟ ହେଉ ଥିଲା ପ୍ରାୟ ୩ ବର୍ଷ ହେବ ସେମାନେ ପୃଥକରେ ଗୁଡ଼ିକରି ଚଲନ୍ତି।


(୧୨) ଯଦି ଜାତିର ପଞ୍ଚ ନାହିଁ ତେବେ ସେମାନଙ୍କର ବିଷୟ କିପରି ଚଲୁଅଛି?

ସରରିଆ ମଧ୍ୟରେ ପଞ୍ଚନାହିଁ। କେବଳ ସମସ୍ତେ ଯମାହେବାକୁ ଗୁଡ଼ିଗ୍ରାମ ଗଉନ୍ତିଆ ଡକାଇ ଦିଏ। ଯମା ହେଲେ ନ୍ୟାୟ କରନ୍ତି। ଦଣ୍ଡଆଦି ଆଗ୍ରିଆ ଜାତିପରି।